ଗଞ୍ଜାମ ଜିଲ୍ଲାରେ ବନ୍ୟା ବିଭୀଷିକା ପରେ ଏବେ ଗୁରୁତର ଭାବେ ପ୍ରଭାବିତ ହୋଇଛି ଶିକ୍ଷା ବ୍ୟବସ୍ଥା। ବନ୍ୟା ପାଣି ଛାଡ଼ିବାର ୧୦ ଦିନ ବିତିଯାଇଥିଲେ ମଧ୍ୟ ଜିଲ୍ଲାର ଅନେକ ସ୍କୁଲ୍‌ ଓ କଲେଜ୍‌ର ସ୍ଥିତି ସ୍ୱାଭାବିକ ହୋଇପାରିନାହିଁ। ପ୍ରାଥମିକ ଆକଳନ ଅନୁଯାୟୀ, ଜିଲ୍ଲାର ମୋଟ ୪୯୮ଟି ବିଦ୍ୟାଳୟ ବନ୍ୟାରେ ପ୍ରଭାବିତ ହୋଇଥିବା ବେଳେ ୧୦୩୨ଟି ଶ୍ରେଣୀଗୃହ ଏବଂ ୨୧୫ଟି ବିଦ୍ୟାଳୟର ପାଚେରି କ୍ଷତିଗ୍ରସ୍ତ ହୋଇଛି। ଏହି କ୍ଷୟକ୍ଷତି ଜିଲ୍ଲାର ଶିକ୍ଷା ବ୍ୟବସ୍ଥା ପାଇଁ ଏକ ବଡ଼ ଚିନ୍ତାର କାରଣ ପାଲଟିଛି।

ବନ୍ୟା ପାଣି ଛାଡ଼ିବା ପରେ ମଧ୍ୟ ଅନେକ ବିଦ୍ୟାଳୟ ପରିସରରେ କାଦୁଅ ଓ ଆବର୍ଜନା ଜମି ରହିଛି। କେଉଁଠି ଶ୍ରେଣୀଗୃହର କାନ୍ଥ ଫାଟିଯାଇଛି ତ ଆଉ କେଉଁଠି ବନ୍ୟା ପାଣିରେ ଭାସିଯାଇଛି ମୂଲ୍ୟବାନ ରେକର୍ଡ, ବହିଖାତା ଓ ଆସବାବପତ୍ର। ଆସିକାରୁ ସୋରଡ଼ା, ଶେରଗଡ଼ରୁ ପୁରୁଷୋତ୍ତମପୁର ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳରେ ସମାନ ଦୁର୍ଦ୍ଦଶା ଦେଖିବାକୁ ମିଳିଛି। ବିଦ୍ୟାଳୟଗୁଡ଼ିକରେ ପାଠପଢ଼ା ଆରମ୍ଭ କରିବା ପୂର୍ବରୁ ସଫେଇ ଓ ମରାମତି କାର୍ଯ୍ୟ ଜରୁରୀ ହୋଇପଡ଼ିଛି। ଏପରି ସ୍ଥିତିରେ ଶିକ୍ଷକମାନେ ନିଜେ ସ୍କୁଲ ପରିସର ସଫା କରିବା ସହ ଶିକ୍ଷାନୁଷ୍ଠାନକୁ ପୁଣି କାର୍ଯ୍ୟକ୍ଷମ କରିବାକୁ ଉଦ୍ୟମ ଚଳାଇଛନ୍ତି।

କେବଳ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ନୁହେଁ, ଜିଲ୍ଲାର କିଛି କଲେଜ୍‌ ମଧ୍ୟ ବନ୍ୟାରେ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। ପୁରୁଷୋତ୍ତମପୁରର ତାରାତାରିଣୀ କଲେଜ୍‌ ହେଉ କି ସୋରଡ଼ା ଅଞ୍ଚଳର ବିଭିନ୍ନ କଲେଜ୍‌, ବନ୍ୟା ପାଣିର ପ୍ରଭାବରେ ଶିକ୍ଷାନୁଷ୍ଠାନଗୁଡ଼ିକର ସ୍ୱାଭାବିକ କାର୍ଯ୍ୟକଳାପ ବାଧାପ୍ରାପ୍ତ ହୋଇଛି। ଏହି ସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗାମୀ ଦୀପାବଳି ପର୍ଯ୍ୟନ୍ତ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ଫଳରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଉପରେ ଦୀର୍ଘ ସମୟର ପ୍ରଭାବ ପଡ଼ିବା ଆଶଙ୍କା ଦେଖାଦେଇଛି।

ଅନ୍ୟପଟେ ବନ୍ୟା ଯୋଗୁଁ ଅନେକ ଗାଁରେ ଘର ଭିତରକୁ ପାଣି ପଶିବାରୁ ଛାତ୍ରଛାତ୍ରୀଙ୍କ ବହିଖାତା ମଧ୍ୟ ନଷ୍ଟ ହୋଇଯାଇଛି। ଏଭଳି ସ୍ଥିତିରେ ପିଲାମାନଙ୍କୁ ଯଥାଶୀଘ୍ର ନୂଆ ବହି ଯୋଗାଇଦେବା ସହ ଶିକ୍ଷା ସମ୍ପର୍କିତ ସମସ୍ତ ସମସ୍ୟାର ସମାଧାନ କରାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରତିଶ୍ରୁତି ଦେଇଛନ୍ତି। ଛାତ୍ରଛାତ୍ରୀଙ୍କ ପାଠପଢ଼ା ଯେପରି ଅଧିକ ପ୍ରଭାବିତ ନହୁଏ, ସେଥିପାଇଁ ଆବଶ୍ୟକ ପଦକ୍ଷେପ ନେବା ଉପରେ ଗୁରୁତ୍ୱ ଦିଆଯାଇଛି।

ବର୍ତ୍ତମାନ ସବୁଠାରୁ ବଡ଼ ଆହ୍ୱାନ ହେଉଛି ବନ୍ୟାରେ କ୍ଷତିଗ୍ରସ୍ତ ଶ୍ରେଣୀଗୃହଗୁଡ଼ିକର ମରାମତି, ବିଦ୍ୟାଳୟ ପରିସରରୁ କାଦୁଅ ଓ ଆବର୍ଜନା ସଫା କରିବା ଏବଂ ନଷ୍ଟ ହୋଇଥିବା ଶିକ୍ଷା ସାମଗ୍ରୀର ପୁନଃବ୍ୟବସ୍ଥା କରିବା। ବିଶେଷକରି ଯେଉଁ କୋଠାଗୁଡ଼ିକ ଅସୁରକ୍ଷିତ ହୋଇପଡ଼ିଛି, ସେଗୁଡ଼ିକର ଯାଞ୍ଚ ଓ ଆବଶ୍ୟକ ମରାମତି ନହେବା ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ସେଠାରେ ପାଠ ପଢ଼ାଇବା ବିପଦପୂର୍ଣ୍ଣ ହୋଇପାରେ।

ବନ୍ୟାରେ ଘରଦ୍ୱାର ଓ ଜୀବିକା କ୍ଷତିଗ୍ରସ୍ତ ହେବା ସହ ଏବେ ପିଲାମାନଙ୍କ ପାଠପଢ଼ା ମଧ୍ୟ ସଙ୍କଟରେ ପଡ଼ିଛି। ତେଣୁ ଗଞ୍ଜାମ ଜିଲ୍ଲାର ଶିକ୍ଷା ବ୍ୟବସ୍ଥାକୁ ପୁଣି ସ୍ୱାଭାବିକ କରିବା ପାଇଁ ପ୍ରଶାସନ କେତେ ଶୀଘ୍ର ପଦକ୍ଷେପ ନେଉଛି, କ୍ଷତିଗ୍ରସ୍ତ ବିଦ୍ୟାଳୟଗୁଡ଼ିକର ମରାମତି କେବେ ଶେଷ ହେଉଛି ଏବଂ ଛାତ୍ରଛାତ୍ରୀ କେବେ ପୁଣି ଶ୍ରେଣୀଗୃହକୁ ଫେରୁଛନ୍ତି, ତାହା ଉପରେ ଏବେ ସମସ୍ତଙ୍କ ନଜର।